ଯାତ୍ରା ବିବାଦ ଉପରେ ପଡ଼ୁନି ଯବନିକା; ସ୍ୱାମୀ ସ୍ତ୍ରୀ କଳି ଆହୁରି ବିବାଦୀୟ

Published By : Prameya-News7 Bureau | April 17, 2025 IST

ଭୁବନେଶ୍ୱର : ଯାତ୍ରାରେ ଜାକଜମକ ଠାରୁ ବଳିଗଲାଣି ବିବାଦ ଜଞ୍ଜାଳ। ପୂର୍ବରୁ ଲୋକଙ୍କର ପ୍ରିୟ ପାଲଟିଥିବା କଳାକାର ଏବଂ ଲୋକପ୍ରିୟ ଯାତ୍ରା ପ୍ରାର୍ଟିର ମାଲିକଙ୍କ ମଧ୍ୟରେ ବିବାଦ ଏବେ ଯାତ୍ରାର ସମ୍ମାନ ଉପରେ କାଳି ବୋଳିଛି କହିଲେ ଅତ୍ୟୁକ୍ତି ହେବନି। ଅଭିନୟର ଗଭୀରତାକୁ ପଶି ଲୋକଙ୍କୁ ମନୋରଞ୍ଜନ ଯୋଗାଉଥିବା ଯାତ୍ରା ଭିତରର ଏବେ ଦିନକୁ ଗୋହି ଖୋଳୁଛି ଉଭୟ କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ। ତଥାପି ଯାତ୍ରା ବିବାଦ ଉପରେ ପଡ଼ୁନି ଯବନିକା । ପୁଣି ଆଉ ଏକ ବିବାଦ ଯାତ୍ରାକୁ ଆହୁରି ବିବାଦୀୟ କରିଛି । ଏମିତି ଏଠି କହିପାରିବା ଯେ, ଯାତ୍ରାରେ ଯାତେରା ବେଶି। ଏକଥା କହିବାର ଅର୍ଥ ପୁଣି  ବିବାଦ ଭିତରକୁ ଟାଣି ହୋଇଛନ୍ତି ତୁଳସୀ ଗଣନାଟ୍ୟ ଅଭିନେତ୍ରୀ ସୋନାଲି ପଣ୍ଡା । ସୋନାଲିଙ୍କ ସ୍ବାମୀ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ସେ ଅଭିଯୋଗ କରିଛନ୍ତି, ତୁଳସୀ ଗଣନାଟ୍ୟ ମାଲିକ ସୋନାଲି ପଣ୍ଡାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ମୋ ଠୁ ମୋ ପୁଅ ଠୁ ତାଙ୍କୁ ଦୂରେଇ ରଖିଛନ୍ତି । ମୁଁ ତୁଳସୀ ଗଣନାଟ୍ୟରେ କାମ କରୁଥିବା ସମୟରେ ମୋତେ ବିଭିନ୍ନ ଧମକ ଚମକ୍ ଦିଅନ୍ତି ।ଏହି ଘଟଣାକୁ ନେଇ ଏବେ ସବୁଠି ଆଲୋଡନ ଓ ଆଲୋଚନା। ଯାହାକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା 'କାନ୍ଦୁଛି ଯାତେରା ବିବାଦ ପାଇଁ। 

ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲୀ ପଣ୍ଡା। ମଞ୍ଚକୁ ଆସିଲେ ଦର୍ଶକଙ୍କ ତାଳି ହିଁ ତାଙ୍କ ଲୋକପ୍ରିୟତା ପରିଚୟ ଦିଏ। ସୁନ୍ଦର ଯେମିତି ଅଭିନୟ ବି ସେମିତି।  କିନ୍ତୁ ଏବେ ସୁନ୍ଦରୀ ଅଭିନେତ୍ରୀଙ୍କ ବିବାଦରେ। ସେ କୁଆଡେ ଚାପରେ ଅଛନ୍ତି। ତାଙ୍କୁ କୁଆଡ଼େ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ମାନସିକ ନିର୍ଯାତନା ଦେଉଛନ୍ତି। ଏମିତି କେତେ କଥା ...। ସ୍ୱାମୀଙ୍କ ଅଭିଯୋଗ ପରେ ସୋନାଲୀ ବିସ୍ଫୋରକ ବୟାନ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ପ୍ରଶ୍ନ , ଅନେକ  ଅଭିଯୋଗ କିନ୍ତୁ ସବୁଥିରେ ଏବେ ପୂର୍ଣ୍ଣଚ୍ଛେଦ ଲଗାଇଛି ସୋନାଲୀଙ୍କ ଉତ୍ତର।  

ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ବାମୀଙ୍କ ଗୁମର ଖୋଲିଛନ୍ତି ସୋନାଲି ପଣ୍ଡା । ସୋନାଲି କହିଛନ୍ତି, ଏହି ଘଟଣାରେ କୌଣସି ସତ୍ୟାସତ୍ୟ ନାହିଁ । ତୁଳସୀ ଗଣନାଟ୍ୟ ମାଲିକ ମୋତେ ଝିଅ କରିଛନ୍ତି । ମୋର ଅସୁବିଧା ସମୟରେ ମୋତେ ସାହାଯ୍ୟ କରିଛନ୍ତି। ସେ ମୋତେ ଧମକ ଦେଇ ରଖି ନାହାନ୍ତି। ବାପା ଭଳି ସେ ମୋତେ ସବୁ ପରିସ୍ଥିତିରେ ସାହାଯ୍ୟ କରିଛନ୍ତି। ଓଲଟା ମୋ ସ୍ବାମୀ ବହୁ ଝିଅ ମାନଙ୍କ ସହ କଥା ହୁଅନ୍ତି। ଏମିତିକି ସେ ଆଉ ଜଣକୁ  ବିବାହ ମଧ୍ୟ କରିଛନ୍ତି । ମୁଁ କୌଣସି ମାନସିକ ନିର୍ଯାତନାର ଶିକାର ହୋଇନି। ମୁଁ ମୋ ଇଚ୍ଛାରେ ତୁଳସୀ ଗଣନାଟ୍ୟରେ ରହିଛି । ମୋର ମୋ ସ୍ବାମୀଙ୍କ ସହିତ କୌଣସି ସମ୍ପର୍କ ନାହିଁ । ସେ ଦୀର୍ଘ ୧୨ବର୍ଷ ହେଲାଣି କେଉଁଠି ଥିଲେ ବୋଲି ସୋନାଲି ପ୍ରଶ୍ନ ଉଠାଇଛନ୍ତି ? 

ସେପଟେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଘଟଣାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ବହୁ ବର୍ଷ ପୂର୍ବରୁ ବିବାହ ପରେ ସୋନାଲି ସ୍ଵାମୀଙ୍କ ଅତ୍ୟାଚାର ସହି ନପାରି ଆତ୍ମହତ୍ୟା କରିବାକୁ ଯାଉଥିଲେ ।  ସେତେବେଳେ ସେ   ସୋନାଲିକୁ ଉଦ୍ଧାର କରି ତାଙ୍କ  ଘରେ ରଖିଥିଲେ ।  ସେହିଦିନ ଠାରୁ ସେ ଯାତ୍ରାରେ ଅଛନ୍ତି ବୋଲି ଅନନ୍ତ କହିଛନ୍ତି। ଅନନ୍ତ ଏକଥା ବି କହିଛନ୍ତି ଯେ, ସୋନାଲୀଙ୍କ ସ୍ୱାମୀ ତୁଳସୀ ଗଣନାଟ୍ୟରେ କାମ କରୁନଥିଲେ । ସେ ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି । ତେଣୁ ସେ ତାଙ୍କ ବିରୋଧରେ କରିଥିବା ଅଭିଯୋଗ ଭିତ୍ତି ହୀନ ବୋଲି କହିଛନ୍ତି ଅନନ୍ତ। 


ସୋନାଲୀଙ୍କ ଘଟଣା ସଂପୂର୍ଣ୍ଣ ବ୍ୟକ୍ତିଗତ ହୋଇଥିବାବେଳେ, ଘଟଣାର ମୋଡ଼ ଆଗକୁ କ’ଣ ହେବ ସେ କଥା ତ ସମୟ କହିବ।  କିନ୍ତୁ ଏଠି ଆଉ ଏକ ବଡ଼ ପ୍ରଶ୍ନ ହେଉଛି, ଯାତ୍ରା ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବା ବେଳେ   ଯାତ୍ରାର ବିଭିନ୍ନ ବିବାଦ ଇଣ୍ଡଷ୍ଟ୍ରି ଉପରେ କୌଣସି ନକରାତ୍ମକ ପ୍ରଭାବ ପକାଇବନି ତ?  କାହିଁକିନା କିଏ ସାମାଜିକ ଗଣମାଧ୍ୟମରେ କାହାକୁ କ’ଣ କହିଲାଣି ତ କିଏ ବୟକଟ୍‌, ବ୍ୟାନ୍‌ କଲାଣି । ପୁଣି କିଏ ରହିଲେ ନାଟକ କରିବେନି ବୋଲି ନାଟ୍ୟଗୁରୁ କହିଲେଣି । ସେ ଭିତରେ ସାଂଘାତିକ କେଳେଙ୍କାରୀ । କୋଟି କୋଟି ଟଙ୍କାର ଫିକ୍ସିଂ ଆଉ ସଟ୍ଟାବାଜି । କେଉଁଠି ମୋଟା ଟଙ୍କାର ଲୋଭ, ଉପହାର ଦେଖାଇ କଳାକାରଙ୍କୁ ଯାତ୍ରା ଦଳ ମାଲିକ କିଣିନେଲେଣି ତ ଆଉ କେଉଁଠି ମାଡ଼ ମାରି, ଧମକେଇ, ଚମକେଇ ଜୀବନ ନେବାର ଡର ଦେଖାଇ କଳାକାରଙ୍କୁ ଚୁପ୍‌ କଲେଣି । କଳାକାର ବି କିଛି କମ୍‌ ନୁହଁନ୍ତି । ଅନେକ ଏମିତି ଅଭିନୟ କରୁଛନ୍ତି, ତାଙ୍କ ଅଭିନୟ ଯାତ୍ରା ଖଳନାୟକଙ୍କ ଅଭିନୟକୁ ବି ବଳିଯିବ । ଯାତ୍ରା ପାର୍ଟି ବଦଳାଇବାକୁ ଅଗ୍ରୀମ ନେଇ ଅଡ଼ୁଆରେ ପଡ଼ିଥିବା ହାସ୍ୟାଭିନେତା ନରି ପଣ୍ଡାଙ୍କୁ ଯାତ୍ରା ମାଲିକ ସଂଘ ବ୍ୟାନ୍‌ କରିଥିଲା ବେଳେ ପୀୟୂଷଙ୍କ ବିବାଦ ତୁଟାଇ ତାଙ୍କ ଅନୁରୋଧରେ ତାଙ୍କୁ ବର୍ଷେ ବିଶ୍ରାମ ଦେଇଛି । ଏଣେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ବୟାନ ରଖି ମାଲିକଙ୍କ ଉପରକୁ ଅଙ୍ଗୁଳି ଉଠାଇଥିବା ପ୍ରତାପ ମହାନ୍ତିଙ୍କୁ ବି ନରିଙ୍କ ଭଳି ବ୍ୟାନ୍‌ ଦଶା ଭୋଗିବାକୁ ପଡ଼ିଛି । କିନ୍ତୁ ସମାନ କଥା ଲାଗି ଅଭିନେତ୍ରୀ ନମିତାଙ୍କୁ ମାଲିକ ସଂଘ ବ୍ୟାନ୍‌ ବଦଳରେ କାରଣ ଦର୍ଶାଅ ନୋଟିସ୍‌ ପଠାଇଛି । ଯାହା ବିଷୟରେ ନିମିତା ଚୁପ୍‌ ରହିବା ସହିତ ଯାତ୍ରାରେ ସବୁ ଭଲ ହେଉ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାର ନାଟ୍ୟଗୁରୁଙ୍କ ଉପରେ ନକାରାତ୍ମକ ଟିପ୍ପଣୀ ଦେଇ ଅପମାନିତ କରିଥିବା ଅଭିନେତା ଦୟାଙ୍କୁ ବିରୋଧ କରିଛି ଅପେରା ମାଷ୍ଟର୍ସ ଆସୋସିଏସନ୍‌ ।  ଏସବୁ ବିବାଦ ଭିତରେ ବୁଧବାର ଭୁବନେଶ୍ୱରରେ ଓଡ଼ିଶା ଯାତ୍ରା କଳାକାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । କଳାକାର ସଂଘ କହିଛି  ଯଦି ନରି ପଣ୍ଡାଙ୍କୁ  ବ୍ୟାନ୍ କରାଯିବ ତାହେଲେ ଆମେ ଯାତ୍ରା ବର୍ଜନ କରିବୁ। ଆଗକୁ ଯାତ୍ରା ଓ କଳାକାରଙ୍କ ଭବିଷ୍ୟତ ସମୟ ହିଁ ନିର୍ଦ୍ଧାରିତ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.